କୋର୍ଟ ଗୃହ ନିର୍ମାଣରେ କେଳେଙ୍କାରୀ 


 ବ୍ୟାସନଗର: ପୂର୍ତ୍ତ ବିଭାଗର ଠିକାଦାର ପ୍ରୀତି କାହାକୁ ଅଛପା ନୁହେଁ । କିନ୍ତୁ ଏହି ବିଭାଗ କୋର୍ଟ କଚେରୀ କାର୍ଯ୍ୟରେ ବି ଠିକାଦାରଙ୍କ ଉପରେ ପ୍ରୀତ ଦେଖାଉଛନ୍ତି । ଯାହାକୁ ନେଇ ଯାଜପୁର ରୋଡ଼ର ସମୂହ ଆଇନଜୀବୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଉ କାର୍ଯ୍ୟସ୍ଥଳରେ ପହଞ୍ଚି ନିଜର ଅସନ୍ତୋଷ ଝାଡ଼ିବା ସହ ଠିକାଦାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆମେ କହୁଛୁ ଯାଜପୁର ରୋଡ଼ କୋର୍ଟର ନୂତନ ଗୃହ ନିର୍ମାଣ ସଂପର୍କରେ । ଚୋରଦା-ଦାନଗଦୀ ରାସ୍ତାରେ କାର୍ଯ୍ୟ କରୁଥିବା ଯାଜପୁର କୋର୍ଟର ନୂତନ ଗୃହ ସହ ବାସଗୃହ ଓ ଅନ୍ୟାନ୍ୟ ଗୃହ ନିର୍ମାଣ ନିମନ୍ତେ ବ୍ୟାସନଗର ତହସିଲର ବଡ଼ପାଟୁଳୀ ମୌଜା ତଥା ନହକା ନିକଟରେ ୨ବର୍ଷ ତଳେ ଶୁଭ ପଡ଼ିଥିଲା । ୨୦୨୨ ଅପ୍ରେଲ ୯ତାରିଖରେ ଯାଜପୁର ରୋଡ଼ କୋର୍ଟର ନୂତନ ଗୃହର ଶିଳାନ୍ୟାସ ସେତେ ବେଳେ ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ମାନ୍ୟବର ଭିନିତ ସରଣ ଭିଡ଼ିଓ କନଫ୍ରେନ୍ସି ମାଧ୍ୟମରେ କରିଥିଲେ । ଶିଳାନ୍ୟାସ ସ୍ଥଳରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଡ଼.ଏସ.ମୂରଲିଧର, ବିଚାରପତି ଡ଼.ବି.ଆର.ଷଡ଼ଙ୍ଗୀ, ଏସ.କେ.ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । କୋର୍ଟ ସହ ଅନ୍ୟାନ୍ୟ ଗୃହ କାର୍ଯ୍ୟ ଦେଢବର୍ଷ ଭିତରେ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଥିଲା । ହେଲେ ଦୁଇବର୍ଷ ଅତିକ୍ରାନ୍ତ କରିଯାଇଥିଲେ ହେଁ ୪ ମହଲା ବିଶିଷ୍ଟ କୋର୍ଟ ଗୃହ ଦରଖଣ୍ଡିଆ ହୋଇପଡ଼ିଛି । ୪ ମହଲା ହେବାକୁ ଥିବା କୋର୍ଟ ଗୃହ କାର୍ଯ୍ୟ ଗୋଟିଏ ମହଲାବି ମୁଣ୍ଡି ମରିନି । କହିବାକୁ ଗଲେ ଗୃହ କାର୍ଯ୍ୟ ଭୂଇଁରୁ ଉଠିନି । ଦୁଇ ବର୍ଷ ବ୍ୟବଧାନରେ କାର୍ଯ୍ୟ ଦରଖଣ୍ଡିଆ ହୋଇପଡ଼ିଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଇନଜୀବୀ । ଆଜି ସମୂହ ଆଇନଜୀବୀ କାର୍ଯ୍ୟ ସ୍ଥଳରେ ପହଞ୍ଚି କାର୍ଯ୍ୟ ଆଗେଇନଥିବାର ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । ହେଉଥିବା କାର୍ଯ୍ୟ ନିମ୍ନମାନର କରାଯାଉଥିବା ଆଇନଜୀବୀ ଅଭିଯୋଗ ଆଣିଥିବା ବେଳେ ତୁରନ୍ତ ଏଦିଗରେ ସେମାନେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ସହ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବେ ବୋଲି କହିଥିଲେ । କୋର୍ଟ ଗୃହ ନିର୍ମାଣ ବିଳମ୍ବ କରାଯାଉଥିବାରୁ ଉପରକୁ ଉଠିଥିବା ରଡ଼ ଗୁଡ଼ିକ କଳଙ୍କି ଲାଗିଯାଇଥିବା ଏବଂ ବେସରେ ବାଲି ବଦଳରେ ମାଟି ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଥିଲା । ଗୃହ ନିର୍ମାଣ ନିମନ୍ତେ ୩୫କୋଟି ବରାଦ ହୋଇଥିବା ବେଳେ ଠିକାଦାର ମନମର୍ଜିରେ କାର୍ଯ୍ୟ କରୁଥିବା ଏବଂ ପୂର୍ତ୍ତ ବିଭାଗ ଆଖିବୁଝି ଦେଇଥିବା ଆଇନଜୀବୀ ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷରେ କୋର୍ଟ ନିର୍ମାଣ ବିଳମ୍ବ ଘଟୁଥିବାରୁ ବ୍ୟାସନଗରରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଏବର କାର୍ଯ୍ୟରତ କୋର୍ଟ ପରିସର ସଙ୍କୁଚିତ ଥିବା ଏବଂ ଆବଶ୍ୟକ ଭିତ୍ତିଭୂମିର ଅଭାବ ଥିବାରୁ ନୂତନ କୋର୍ଟ ଗୃହ ନିର୍ମାଣ ଆବଶ୍ୟକତା ଅନୁଭବ କରି ଆଇନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।